ବିଶିଷ୍ଟ ସାହିତ୍ୟିକ ବିନୟ ବାବୁ ଶୀଘ୍ର ଶୀଘ୍ର ଗୋଡ ଚାଳିଲେ। ରାତି ୮ଟା ହେବାକୁ ବସିଲାଣି, ୭ଟା ସୁଦ୍ଧା ଫେରିଆସିବାକୁ ପତ୍ନୀଙ୍କର ଆଦେଶ ଥିଲା। ବିନୟ ବାବୁ ଆଜି ବହୁ କଷ୍ଟରେ ପତ୍ନୀ ବୀଣା ଦେବୀଙ୍କୁ ରାଜି କରାଇ ଆସିଥିଲେ ସାହିତ୍ୟ ସମାବେଶକୁ। ଶେଷ ଯାଏ ରାଜି ହେଉନଥିଲେ ବୀଣା ଦେବୀ। ଯୋଗ ଦେଉଥିବା ପ୍ରତି ସାହିତ୍ୟିକଙ୍କୁ ଗୋଟିଏ ଗୋଟିଏ ୫୦୦ ବାଲା ଗାନ୍ଧୀ ମୁଣ୍ଡ ମିଳିବ ବୋଲି ମିଛଟିଏ କହିବାରୁ ବୀଣା ଦେବୀ ଯିବା ପାଇଁ ଅନୁମତି ପ୍ରଦାନ କଲେ ଆଉ ଚେତେଇ ବି ଦେଇଥିଲେ ସନ୍ଧ୍ୟା ୭ଟା ସୁଦ୍ଧା ଫେରିଆସିବାକୁ। ହେଲେ ସାହିତ୍ୟ ଅଲୋଚନା,ସମୀକ୍ଷା ଇତ୍ୟାଦି ସରୁ ସରୁ ବାଜିଗଲା ୮ଟା।
ବିନୟ ବାବୁ ବି କଣ କରିବେ। ବୀଣା ତ ମୂଳରୁ ସେମିତିକା। ସାହିତ୍ୟ ଏବଂ ଲେଖା ଲେଖି ଜମା ପସନ୍ଦ ନୁହଁ ତାଙ୍କର। ଏଗୁଡା କାଳେ ନିକମ୍ମାଙ୍କ କାମ ଏବଂ ଏହାହିଁ ତାଙ୍କ ଘରେ ଅଶାନ୍ତି ଆଉ ଅଭାବର ମୂଳ କାରଣ।
ରାତି ୮ଟା ୩୦ ବେଳକୁ ଘର ଦୁଆର ପାଖରେ ପହଞ୍ଚିଗଲେ ବିନୟ ବାବୁ। ଆସନ୍ନ ଝଗଡା ଆଉ କେଁ କଟରର ପୂର୍ବାନୁମାନ କରି ଚୁପି ଚୁପି ଭିତରକୁ ପ୍ରବେଶ କଲେ। ବୈଠକ ଘର ଟେବୁଲ ଉପରେ ବସ୍ତାନିଟି ରଖୁ ରଖୁ ବୀଣା ଦେବୀ ସତେକି ଗନ୍ଧ ଶୁଙ୍ଘି ଦେଲେ ନା କଣ ରୋଷେଇ ଘରୁ ରାଗ ତମ ତମ ହୋଇ ବାହାରି ଆସିଲେ ଆଉ କହିଲେ, “ଯାହା ହେଉ, ଘର କଥା ମନେ ପଡିଲା ତାହେଲେ ବାବୁଙ୍କର। ମୋ ସଉତୁଣୀ ଏବେ ଛୁଟି ଦେଲା ତେବେ। ଆଉ ପରିବା କାଇଁ? ସଉଦା ଯାହା ଆଣିବାକୁ କହିଥିଲି କାଇଁ?” ବିନୟ ବାବୁଙ୍କର ମନେ ପଡିଲା। ଗଲା ବେଳକୁ ସମସ୍ତ ଚେତାବନୀ ସହ ପତ୍ନୀ ଦେବୀ ଯୋଡିଥିଲେ ପରିବା ଏବଂ ସଉଦା ଆଣିବା କଥା ଆଉ ଚିଠାଟିଏ ମଧ୍ୟ ଧରେଇଦେଇଥିଲେ। ଚଡକ ପଡିଲା ବିନୟ ବାବୁଙ୍କ ମୁଣ୍ଡରେ। ସାହିତ୍ୟ ଆଲୋଚନା ଭିତରେ ଏଇ ଗୁରୁ କଥା ଟିକୁ ଭୁଲି ଯାଇଛନ୍ତି। ସେ କିଛି କହିବା ଅବା ଆଣିପାରିନାହାଁନ୍ତି ବୋଲି କ୍ଷମାଭିକ୍ଷା କରିବା ପୁର୍ବରୁ ବୀଣା ଦେବୀ ବିନୟ ବାବୁଙ୍କର ହାବ ଭାବରୁ ଠଉରେଇ ନେଇ କହିଲେ, “ଥାଉ ଥାଉ, କିଛି ଏକ୍ସପ୍ଲାନେସନର ଆବଶ୍ୟକତା ନାହିଁ। ସୁଧୁରିବନି ତୁମେ। ମୋ ଜୀବନଟା ବର୍ବାଦ ହୋଇଗଲା। କେତେ ସୁଖରେ ଥାନ୍ତି ଆଉ କାହାକୁ ବାହା ହୋଇଥିଲେ। ସାହିତ୍ୟ ସାହିତ୍ୟ ହୋଇ ନିଜ ଜୀବନ ତ ସାରିଦେଲ ଆଉ ମୋ ଜୀବନଟା ବି ମାଟି କରିଦେଲ।” ଧୀରେ ଧୀରେ ବୀଣା ଦେବୀଙ୍କ କ୍ରୋଧ ବଢୁଥାଏ ଆଉ ପାଟିରୁ ନାନା କଥା ବାହାରୁ ଥାଏ। ଆଉ ସହିପାରିଲେନି ବିନୟ ବାବୁ। ସେତିକିବେଳୁ ଚୁପ ହୋଇ ବସିଥିବା ବିନୟ ବାବୁ ମୁହଁ ଖୋଲିଲେ ଏଥର। ହେଲେ ତାଙ୍କ କଥା ବୀଣା ଦେବୀଙ୍କ କଥା ତଳେ ଚାପି ହୋଇଯାଉଥାଏ। ଶେଷରେ ବିନୟ ବାବୁ ତାଙ୍କ ଅମୋଘ ଅସ୍ତ୍ରଟି ପ୍ରୟୋଗ କଲେ। ଭୁଲ ମାଗି ବସିଲେ ପତ୍ନୀଙ୍କୁ। ଅତି ଅନୁନୟ ବିନୟ ହୋଇ ବିଭିନ୍ନ ଢଙ୍ଗରେ ବୁଝେଇ ସୁଝେଇ, ନିଜେ ଛୋଟ ଆଉ ସବୁ ଭୁଲଭାଲ କରିବା ଲୋକ ସେ ନିଜେ ବୋଲି ବାର ବାର ସ୍ୱୀକାର କରି ବୀଣା ଦେବୀଙ୍କର ରାଗ ଟିକେ ଶାନ୍ତ କଲେ।
ଖଟ ଉପରେ ବସି ଖାଲି ଯାହା ଏବେ ଫଁ ଫଁ ହେଉଥାନ୍ତି ବୀଣା ଦେବୀ। ଟିକେ ବସି ତାପରେ ପୁଣି କହିଲେ, “ ଦେଖ ବାର ବାର ଘରେ ପାଟିତୁଣ୍ଡ ହେଉଛି, ଆଉ ପାଟିତୁଣ୍ଡ ମୋତେ ଜମା ପସନ୍ଦ ନୁହଁ, ଘରଟାକୁ ଟିକେ ଶାନ୍ତିରେ ରଖିବାକୁ,ଭଲରେ ଟିକେ ବଞ୍ଚିବାକୁ ଆଜି ତୁମକୁ ଗୋଟେ ନିଷ୍ପତ୍ତି ନେବାକୁ ପଡିବା। ତୁମକୁ ସାହିତ୍ୟ ଆଉ ମୋ ଭିତରୁ ଜଣକୁ ବାଛିବାକୁ ପଡିବ। ମୁଁ ଆଉ ରହିପାରିବିନି ତୁମ ସାହିତ୍ୟର ସଉତୁଣୀ ହୋଇ।” ପୁଣି ଗୋଟେ ଚଡକ ପଡିଲା ବିନୟ ବାବୁଙ୍କ ମୁଣ୍ଡରେ। ବୀଣା ତାଙ୍କ ଜୀବନ ଆଉ ସାହିତ୍ୟ ତାଙ୍କ ଆତ୍ମା। କାହାକୁ ବା ଛାଡିବେ ଆଉ କେମିତିବା ଛାଡି ରହିପାରିବେ।
ବୀଣା ଦେବୀଙ୍କୁ କିଛି ସମୟ ମାଗିଲେ ବିନୟ ବାବୁ। ହେଲେ ବୀଣା ଦେବୀ ସମୟ ଦେବାକୁ ନାରାଜ। ଅତି କଷ୍ଟରେ ୧୦ ମିନିଟ ସମୟ ମିଳିଲା ବିନୟ ବାବୁଙ୍କୁ। ବିନୟ ବାବୁ ସମୟ ନଷ୍ଟ ନକରି ଭାବି ବସିଲେ। ମୁଣ୍ଡରେ କିଛି ପଶୁନଥାଏ।
ଭାବି ଭାବି ଶେଷରେ ଏଇ ବିଚାରରେ ପହଞ୍ଚିଲେ ଯେ ସାହିତ୍ୟ ଛାଡିଲେ କଷ୍ଟେମଷ୍ଟେ ରହିଯିବେ ହେଲେ ପତ୍ନୀଙ୍କୁ ଛାଡିଲେ ବେସାହାରା ହୋଇ ବାକି ଜୀବନଟା କାଟିବାକୁ। ଆଉ ଶେଷରେ ଛାତିରେ ପଥର ରଖି ସାହିତ୍ୟ ଆଉ ପତ୍ନୀଙ୍କ ଭିତରୁ ପତ୍ନୀଙ୍କୁ ବାଛିଲେ ବୋଲି କହିଦେଇ ଗୁମସୁମ ମନ ନେଇ ଚୁପଚାପ ବସି ରହିଲେ। ପତ୍ନୀ ବୀଣା ଦେବୀ ଯାଇତାଇ କରି ଘରେ ଥିବା ଅଳ୍ପ କିଛି ପରିବା ପତ୍ରରେ କଣ ଦି’ଟା ରୋଷେଇ କରି ବିନୟ ବାବୁଙ୍କୁ ଦେଇ ନିଜେ ଖାଇ ଶୋଇପଡିଲେ ଆଉ ବିନୟ ବାବୁ ବି ବିଛଣା ଧରିଲେ।
ପାହାନ୍ତା ସମୟ। ହଠାତ ଶୟନରତ ବିନୟ ବାବୁ ଉଠିପଡିଲେ କାହାର କ୍ରନ୍ଦନ ଧ୍ୱନିରେ। ଆଖି ମଳି ଦେଖନ୍ତି ତ ସାମ୍ନାରେ ତାଙ୍କର କ୍ରନ୍ଦନରତା ସାହିତ୍ୟନାମ୍ନୀ ନାରୀ ମୂର୍ତ୍ତିଟିଏ। ବିନୟ ବାବୁ ତାର କାନ୍ଦିବାର କାରଣ ପଚାରନ୍ତେ ସେ କହିଲା, “ଯାହା କଲ ଭଲ କଲନି ବିନୟ। କଥା ଦେଇ କଥା ଭାଙ୍ଗିଦେଲ ନା! ଅଧାରାସ୍ତାରୁ କିପରି ହାତ ଛାଡିଦେଲ ତୁମେ? ମୋ ଦେହରେ ବାର ବାର କଲମ ଚଳେଇ ସବୁଦିନ ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇ ଆଜି କିପରି ହାତ ଛାଡି ଚାଲି ଯାଉଛ? କାହିଁକି ତୁମେ ଏ ସମ୍ପର୍କ ଯୋଡିଥିଲ? କଣ ଶେଷରେ ଦିନେ ମୋ ସହ ଖେଳ ଖେଳି ସେ ମୁର୍ଖ ସ୍ତ୍ରୀଲୋକଟା ପାଇଁ ଛାଡିଚାଲିଯିବାକୁ? ସେ ସଉତୁଣୀ କଥାରେ ପଡି କେମିତି କରିପାରିଲ ଏ ଅନ୍ୟାୟ ତା ସହ ଯିଏ ସେଇ ରାକ୍ଷାସୀର ଯାତନାରୁ ମୁକ୍ତ କରି ଅପାର ଖୁସି ଅଜାଡି ଦେଉଥିଲା ତୁମ ପାଦ ତଳେ। ବିରାଟ ଭୁଲ କରିଦେଲ ତୁମେ, ବିରାଟ ଭୁଲ କରିଦେଲ। ବିନୟ, ତୁମକୁ ଛାଡିବିନି ବିନୟ। ଅନୈତିକ ସମ୍ପର୍କ ରକ୍ଷା ଆଉ ମିଥ୍ୟା ପ୍ରତିଶ୍ରୁତି ଦେବା ଅଭିଯୋଗରେ କାରାଗାରର ଚାରିକାନ୍ଥ ଭିତରେ ତୁମ ଜୀବନକୁ ଛାରଖାର କରିଦେବି। ଏପରି ଅନୈତିକ ସମ୍ପର୍କ ରଖି ଧୋକା ଦେବାର ପରିଣାମ କଣ ସେତେବେଳେ ଜାଣିବ ତୁମେ।” ଜୋରସେ ଚିଲେଇ ଉଠିଲେ ବିନୟ ବାବୁ, “ନା ନା, ମୁଁ କାହା ସହ ଅନୈତିକ ସମ୍ପର୍କ ରଖିନି। କିଛି ଭୁଲ ନାହିଁ, କିଛି ଭୁଲ ନାହିଁ ମୋର”। ଏଇଠି ନିଦ ଭାଙ୍ଗିଗଲା ବିନୟ ବାବୁଙ୍କର। ଝାଳରେ ଜଡ ସଡ ହୋଇ ଉଠି ଦେଖନ୍ତି ତ କେହି କୁଆଡେ ନାହାନ୍ତି। ରାତିର ନିସ୍ତବ୍ଧତା ଭିତରେ କେବଳ ଦୁଇଟି ଶବ୍ଦ- ଫ୍ୟାନର ଘର୍ ଘର୍ ଆଉ ପତ୍ନୀଙ୍କ ଘୁଙ୍ଗୁଡି। ମୁହଁରେ ହାତ ବୁଲେଇ ଆଣି ଝାଳ ପୋଛି ମନକୁ ମନ କହିଲେ, “ସ୍ୱପ୍ନ ଦେଖୁଥିଲି ବୋଧେ।”
4 Comments
Waaah.....chamatkar barnana:)
ReplyDeleteଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ReplyDeleteWow mast haechi....
ReplyDeleteDhanyabad.
Delete